ଉତ୍କଳର ଗାଥା



ଉଲ୍ଲସିତ ହୋଇ ଉଚ୍ଚ ସ୍ବରେ ଆଜି ଗାଏ ଉତ୍କଳର ଗାଥା,
ଶୁଣିବୁ ବାବୁରେ ଦେଇ ମନ କର୍ଣ୍ଣ ଅତୀତର ସେହି କଥା।

ଏହି ଭୂଖଣ୍ଡର ମୂଳ ଅଧିବାସୀ 
ଉଡ୍ର ନାମରେ ପ୍ରସିଦ୍ଧ,
ଉଡ୍ର ଭାଷାର ତ ସୂଚନା ଦିଅଇ
ଭରତଙ୍କ ନାଟ୍ୟ ଶାସ୍ତ୍ର।

ମହାଭାରତ ଯୁଗରେ କଳିଙ୍ଗ 
ଥିଲା ଏ ରାଜ୍ୟର ନାମ,
ଯୁଦ୍ଧେ ଯୋଗ ଦେଇ ବୀର ଯୋଦ୍ଧା ଆମ
ଆଣିଥିଲେ ଯେ ସୁନାମ।

ପୂର୍ବ ନାମ ଏକ ଥିଲା ଯେ କୋଶଳ
କୁଶଳ ସିଏ କର୍ମରେ
କଙ୍ଗୋଦ ପୁଣି ଯେ ଥିଲା ଏକ ନାମ
ବିଶାରଦ ସଂଗୀତରେ।

କଳାରେ କୋବିଦ ଥିଲେ ରାଜ୍ୟବାସୀ
ନାମ ବହିଣ ଉତ୍କଳ,
ଉତ୍କୃଷ୍ଟ କଳାର ପ୍ରଦର୍ଶନ କରି 
ନାମ କରିଲେ ଉଜ୍ଜ୍ୱଳ।

ଭାଷା ଭିତ୍ତିକ ଏ ପ୍ରଥମ ଯେ ରାଜ୍ୟ
ଓଡ଼ିଶା ନାମକୁ ବହି,
ମଧୁ, ଗଙ୍ଗାଧର, ଫକୀରମୋହନ
ଗଢିଲେ କଷ୍ଟକୁ ସହି।

ଜଗନ୍ନାଥ ଆମ ଜାତିର ଦେବତା 
ରହିଛନ୍ତି ଶିରୀକ୍ଷେତ୍ରେ,
ଅପୂର୍ବ କୀର୍ତ୍ତି କଳା ସ୍ଥାପତ୍ୟ ଯେ
ଶୋହେ କୋଣାର୍କର ଗାତ୍ରେ।

କେତେ ମୁନି ଋଷି କେତେ ଜ୍ଞାନୀ ଗୁଣୀ 
କେତେ କବି କବୟିତ୍ରୀ,
କେତେ ବୀର ଯୋଦ୍ଧା ବୀରା ରମଣୀଙ୍କ
ଅଟେ ଇଏ ଜନ୍ମଦାତ୍ରୀ।

ଧର୍ମପଦ ଠାରୁ ବାଜି ରାଉତ 
ଲକ୍ଷ୍ମଣ, ସୁରେନ୍ଦ୍ର ବୀର,
ଗୋପବନ୍ଧୁ, ମଧୁସୂଦନ, ମାଳତୀ 
ରମାଦେବୀ ଏ ମାଟିର।

ସମ୍ବଲପୁରୀ,ମାଣିଆବନ୍ଧୀ ଶାଢ଼ୀ 
କଟକର ତାରକସି,
ରଘୁରାଜପୁର ପଟ୍ଟଚିତ୍ର ଖ୍ୟାତ 
ନୃତ୍ୟ ଆମର ଓଡ଼ିଶୀ।

ଆଦି କବି ଆମ ଶାରଳା ଦାସଟି
ମହାଭାରତକୁ ରଚି,
କରିଲେ ଓଡ଼ିଆ ଭାଷାକୁ ସୁଦୃଢ 
ଭିତ୍ତି ପ୍ରସ୍ତରକୁ ସ୍ଥାପି।

ହଟିନି ପଛକୁ ଓଡ଼ିଆ ସାହିତ୍ୟ 
କଳେବର କରି ବୃଦ୍ଧି,
ଉତ୍ତର ଆଧୁନିକ ଯୁଗରେ ଆଜି 
ସିଏ ଆସି ପହଞ୍ଚିଛି।

ମହାନ ସଂସ୍କୃତି ପରମ୍ପରା ଆମ
ବାରମାସେ ତେର ଯାତ,
ଓଡ଼ିଆଙ୍କ ପ୍ରିୟ ପ୍ରାଣର ଦେବତା 
ସ୍ବୟଂ ପ୍ରଭୁ ଜଗନ୍ନାଥ।

କେତେ ଯେ ସହିଛି ଶତ୍ରୁ ଆକ୍ରମଣ 
ପ୍ରାକୃତିକ ବିପର୍ଯ୍ୟୟ,
ନଅଙ୍କ ଦୁର୍ଭିକ୍ଷ ସହିଛି ଭୂଖଣ୍ଡ 
ହରେଇନି ପରିଚୟ।

ଚିନ୍ମୟୀ ପ୍ରଧାନ 
କଟକ

Comments

Popular posts from this blog

Celebrating Teacher’s Day 2025: Honoring the Architects of Knowledge

🌱 Plant Kingdom – Bryophytes (Mosses & Liverworts) | NEET 2025 Notes

NEET 2025 – Cell: The Unit of Life | NCERT-Based Notes + Diagrams