ସୂର୍ଯ୍ୟାସ୍ତ
*ସୂର୍ଯ୍ୟାସ୍ତ*
ଶ୍ରୀମତୀ ସୁଲୋଚନା ବେହେରା
ଜୀବନର ରବି ଅସ୍ତଗାମୀ ଆଜି
ଭବ ସିନ୍ଧୁ ହେବ ପାରି
ବାହୁଡ଼ା ରଥରେ କର୍ମ ଟି ସାଥିରେ
ଯାଉଥାଏ ହାତଧରି।
ପ୍ରାତଃ ମଧ୍ୟ ସାୟଂ ଧିରେଧିରେ ବଢି
ଯେହ୍ନେ ଆଦିତ୍ୟ ଗମନ
ବାଳକ କିଶୋର ଅପରାହ୍ନ ପ୍ରୌଢ଼
ଅତିବାହିତ ଜୀବନ।
ମିଛ ତୁଚ୍ଛ ନାଟ ସଂସାରର ହାଟ
ମାପି ମନେ ବିଇଗୁଣ
ହାରିବା ଜିତିବା ଆତ୍ମସମୀକ୍ଷାରେ
ଗୁମୁରି କାନ୍ଦଛି ମନ।
ବନ୍ଧାବନ୍ଧି ଛନ୍ଦାଛନ୍ଦି ଛାଡିଛୁଡି
ଛନ୍ଦା ଚରଣେ ଆଶ୍ରୟ
ଶେଷ ସମୟରେ ଶେଷ ବନ୍ଧୁ ସିଏ
ଶ୍ରଦ୍ଧା ଭକ୍ତି ପ୍ରେମେ ଲୟ।
ପୁତ୍ର କନ୍ୟା ପତ୍ନୀ ପରିବାର ବନ୍ଧୁ
କର୍ମେ ନୁହଁ ଭାଗିଦାର
ସୁକର୍ମ କୁକର୍ମ ଫଳ ଏକା ତୋର
ସର୍ବେ ସୁଖ ଭୋଗିଦାର।
ବେଳ ଥାଉଁ ଥାଉଁ ମାୟା ବଳୟରୁ
ବର୍ହିଭୁତ ହୋଇ ଦେଖ
ରାମ ନାମ ଏକା ସତ୍ୟ ଚିରନ୍ତନ
ମନ କଷଟିରେ ମାଖ।
ଜପ ତପ ହରି ଭବୁ ହେବ ପାରି
ଆତ୍ମା ପରମାତ୍ମା ମିଳନ
ମୋକ୍ଷ ପ୍ରାପ୍ତି ପନ୍ଥା ଅନୁସରଣରେ
ଯାଅ ଚଳି ଇହଧାମ।
ବଇଁଚୁଆ, ଭୁବନେଶ୍ୱର, ଖୋର୍ଦ୍ଧା।

Comments
Post a Comment