ସ୍ଵପ୍ନର କବିତା

🪷🪷 ସ୍ଵପ୍ନର କବିତା 🪷🪷
*********************
     (( ବେଣୁଧର ସୂତାର ))

କେତେ ସ୍ଵପ୍ନ କେତେ ସମ୍ଭାବନା ନେଇ
କଳ୍ପନା ରାଇଜେ ମନ ଭ୍ରମୁଥାଇ
କେବେ ତୋଳେ ଭକ୍ତି ଭାବର ମୂର୍ଚ୍ଛନା 
କେବେ ପ୍ରକୃତିର ଶାଶ୍ଵତ ଅର୍ଚ୍ଚନା ।।

ଚାରୁ ପ୍ରକୃତିର ମିଠା ସମ୍ମୋହନେ
ଭାବ ଆବେଗରେ ଝୁମେ ମୁଗ୍ଧ ମନେ
ଆପଣା ପଣର ଭାବ ନିବିଡତା 
ଉଜ୍ଜୀବିତ କରେ କବି ପ୍ରାଣସତ୍ତା।।

ନିଭୃତ ଅନ୍ତର ଭବ୍ୟ ଭାବାନ୍ତର 
ଲେଖନୀରେ ତୋଳେ ଛନ୍ଦ ସୁମଧୁର 
ଭାବ ମଧୁ ବୋଳା ମହକ ପଖଳା 
ପ୍ରଜ୍ଞା ଆବେଗରେ ହୃଦୟ ମୁକୁଳା ।।

ଖିଆଲି ମନର ଭାବପ୍ରବଣତା 
କଳ୍ପନା ତରଙ୍ଗେ ଭାଙ୍ଗେ ନିରବତା 
ଭାଷା ମାଧୁର୍ଯ୍ୟର ଛବିଳ ବର୍ଣ୍ଣାଳୀ
ସାରସ୍ବତ ପ୍ରେମ ହୃଦେ ଦିଏ ବୋଳି।।

ଅସ୍ତରାଗ ଝରା ଶବ୍ଦବ୍ରହ୍ମ ସୁରେ  
ରଙ୍ଗ ସ୍ଵପ୍ନ ଭରେ ଏ ହୃଦୟ ତୀରେ
କୂଳ ଲଙ୍ଘିଯାଏ ଅମାନିଆ ମନ
ଲଭିବାକୁ ଶୁଦ୍ଧ ସାରସ୍ବତ ଜ୍ଞାନ ।।

ଶବ୍ଦ ସୁଧା ଅନୁରାଗ ଅନ୍ତରାଳେ 
ବୁକୁ ତଳେ ନୂଆ ଶିହରଣ ଖେଳେ
ତନ୍ମୟ ମନର ମିଠା ଅନୁଭୂତି 
ରଚି ଯାଏ ଦିବ୍ୟ କାବ୍ୟ କଳାକୃତି ।।

ଭାବମୟ ଦିବ୍ୟ କାବ୍ୟର ଛନ୍ଦରେ
ରୋମାଞ୍ଚ ଜଗାଏ ନିଖିଳ ଅନ୍ତରେ
ଲଳିତ କାବ୍ୟର ଚାରୁଚିତ୍ର ଧାରା 
ପ୍ରଜ୍ଞାମୟୀ ରୂପ କଳ୍ପର ପସରା।।

କବିତା କାମିନୀ ମତ୍ତ ଉଲ୍ଲାସିନୀ 
ପୂତ ସାରସ୍ଵତ ଜ୍ଞାନ ମନ୍ଦାକିନୀ 
ପାଠକ ଅନ୍ତରେ ଭରେ ମାଦକତା 
ବିଶ୍ଵ ବିମୋହିନୀ ସ୍ଵପ୍ନର କବିତା ।।
*********************
କେଶଦୁରାପାଳ କେନ୍ଦୁଝର 

Comments

Popular posts from this blog

Celebrating Teacher’s Day 2025: Honoring the Architects of Knowledge

🌱 Plant Kingdom – Bryophytes (Mosses & Liverworts) | NEET 2025 Notes

NEET 2025 – Cell: The Unit of Life | NCERT-Based Notes + Diagrams