ଜୀବନଯାପନ

ଜୀବନଯାପନ 

************



ସାରା ବିଶ୍ବରେ ଜ୍ଞାନ, ବିଜ୍ଞାନ ତଥା ଜୀବନଯାପନର ସାଧନ ଯେତେ ଉନ୍ନତ ଓ ଆଧୁନିକ ହେଉଥିବ ମନୁଷ୍ଯର ମନୋରଞ୍ଜନ ଓ ଭୌତିକ ଆନନ୍ଦର ସାଧନ ସେତେ ସେତେ ଅଧିକ ତଥା ସହଜରେ ଉପଲବ୍ଧ ହେବ । ପ୍ରାୟ ସମସ୍ତ ମନୁଷ୍ଯ ଭୌତିକ ଆନନ୍ଦ ପ୍ରିୟ । ସଂସାର ସୃଷ୍ଟି ହେଲା ଠାରୁ ପ୍ରତ୍ୟେକ ମନୁଷ୍ଯ ଠାରେ କମ ହେଉ କି ବେଶି ହେଉ କାମନା ବାସନା, ଲୋଭ-ମୋହ, ଈର୍ଷା-ଦ୍ବେଷ, ଅହଂକାର ଇତ୍ୟାଦି ରହିଛି ଓ ରହିଥିବ।

ହଁ, ଅଳ୍ପ କିଛି ବ୍ୟକ୍ତିବିଶେଷ ଏଇ ଜୀବନର ସଠିକ ଉଦ୍ଦେଶ୍ଯ ଓ ମୂଲ୍ଯ ବୁଝିପାରନ୍ତି ଯେଉଁମାନେ ଭୌତିକ ଆନନ୍ଦ ସହ ଆତ୍ମିକ (ଆଧ୍ୟାତ୍ମିକ) ଓ ଜୀବନର ପ୍ରକୃତ ଆନନ୍ଦର ସାଧନ ବି ଜାଣିପାରିଥାନ୍ତି । ସେଭଳି ବୁଦ୍ଧିମାନ ବ୍ୟକ୍ତିବିଶେଷମାନେ ଭୌତିକ ଆନନ୍ଦ ସହ ଆତ୍ମିକ (ଆଧ୍ୟାତ୍ମିକ) ଆନନ୍ଦ ଦୁଇଟିଯାକରେ ସମାନତା ରଖି ବଞ୍ଚିବାର ପ୍ରକୃତ ଆନନ୍ଦ ଉପଭୋଗ କରିପାରିଥାନ୍ତି। ମାନବ ସେବା, ସ୍ନେହ-ପ୍ରେମ ମନୋଭାବ, ଲୋଭ-ମୋହ-ଈର୍ଷା-ଦ୍ବେଷ ତ୍ଯାଗ, ନିଷ୍କପଟ ଭଗବତ ବିଶ୍ବାସ ଇତ୍ୟାଦିରେ ଆତ୍ମିକ (ଆଧ୍ୟାତ୍ମିକ) ଆନନ୍ଦ ମିଳିଥାଏ।  

କେହି ଜଣେ ବି ମନୁଷ୍ଯ ସଂପୂର୍ଣ ବୈରାଗ୍ୟକୁ ଆପଣେଇବା ଅତି କାଠିକର ପାଠ । ସେଥିରେ ଜୀବନର ସର୍ବଶ୍ରେଷ୍ଠ ଆନନ୍ଦ ବି ନଥାଏ। ଏଣୁ ଶ୍ରୀମଦଭଗବଦ ଗୀତାରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ସମାଜ ଭିତରେ ରହି ଜୀବନର ସାର୍ଥକତା ଲାଭ କରିବା ସହ ଜୀବନର ଆନନ୍ଦ ଉପଭୋଗ କରିବା ପାଇଁ କହିଛନ୍ତି । ନିଷ୍ଠାର ସହ ନିଷ୍କାମ କର୍ମ କରିବା ସକାଶେ ଅର୍ଜୁନଙ୍କୁ ପ୍ରଭୁ ଶ୍ରୀକୃଷ୍ଣ ଆଦେଶ ଦେଇଛନ୍ତି । ସଂସାରର ସବୁ କର୍ମ କରିବା ସହ କର୍ମଫଳ ପ୍ରତି ଆସକ୍ତ ନହେବା ତଥା ସଂସାରର ମାୟା ପ୍ରତି ଆସକ୍ତ ନହେବା ପାଇଁ ବି ଆଦେଶ ଦେଇଛନ୍ତି।  

ମହାତ୍ମା ଆଦି ଶଙ୍କରାଚାର୍ଯ୍ୟ ବି ଜ୍ଞାନୀ ଓ ପଣ୍ଡିତ ମଣ୍ଡନ ମିଶ୍ରଙ୍କ ପତ୍ନୀ ଭାରତୀ ଦେବୀଙ୍କ ତର୍କ ଅନୁଯାଇ ପରିଶେଷରେ ପରକାୟ ପ୍ରବେଶ କରି ଅନ୍ଯ ଶରୀରେ ରହି କାମନା ବାସନା ଓ ସାଂସାରିକ ଜୀବନକୁ ଉପଭୋଗ କରି ନିଜ ଜ୍ଞାନର ପୂର୍ଣ୍ଣତା ଲାଭ କରିପାରିଥିଲେ । 

ଯିଏ କାମନା ବାସନା, ଲୋଭ-ମୋହ, ଈର୍ଷା-ଦ୍ବେଷ
ଭଳି ନିଜର ଆନନ୍ଦର ଶତ୍ରୁକୁ ଯଥାସମ୍ଭବ ନିୟନ୍ତ୍ରଣ କରିପାରିଲା ସେ ଅନ୍ଯମାନଙ୍କ ଅପେକ୍ଷା ଜୀବନର ପ୍ରକୃତ ଆନନ୍ଦ ପାଇଲା । ଆଉ ଯିଏ ଏହାକୁ ନିଜର ନିୟନ୍ତ୍ରଣରେ ରଖି ନପରିଲା ସେ ବାହାରକୁ ଧନୀ, ଜ୍ଞାନୀ, ସମ୍ଭ୍ରାନ୍ତ, ଧର୍ମଗୁରୁ, ରାଜନୀତିଜ୍ଞ, ପ୍ରଶାସନିକ ଅଧିକାରୀ, ଡାକ୍ତର, ଇଂଜିନିୟର, ସାହିତ୍ଯିକ ହେଲେ ବି ଆତ୍ମିକ ଓ ପ୍ରକୃତ ଆନନ୍ଦ ପାଇନଥାଏ କି ତା'ର ମନ ସ୍ବଚ୍ଛ କି ସଚ୍ଚୋଟ ନଥାଏ । ଏହି କାରଣରୁ ଧର୍ମଗୁରୁଙ୍କୁ ମଧ୍ଯ ଦାମୀ କାର ଓ ବିଳାସପୂର୍ଣ୍ଣ ଘର ଆବଶ୍ୟକ ହୋଇଥାଏ । ପ୍ରବଚନ ସକାଶେ ବି ବହୁତ ଟଙ୍କା ଦାବି କରିଥାନ୍ତି ସେମାନେ । ଦେଶସେବାର ଦ୍ୱାହି ଦେଇ ବହୁତ ରାଜନେତା ବି ଟଙ୍କା ଓ କ୍ଷମତା ସକାଶେ ଅନେକ ଅସତ୍‌ କାର୍ଯ୍ୟରେ ଲିପ୍ତ ରହିଥାନ୍ତି। ବହୁତ ଦରମା ପାଇ ବି ବହୁତ ଉଚ୍ଚଶିକ୍ଷିତ ଓ ଉଚ୍ଚ ପଦପଦବୀ ଅଧିଷ୍ଠିତ ବ୍ୟକ୍ତି ଦୁର୍ନୀତି ଓ କୁତ୍ସିତ କାର୍ଯ୍ୟରେ ଲିପ୍ତ ରହିଥାନ୍ତି।  

ଆଗରୁ ସଂସାରରେ ସଭିଙ୍କ ଆର୍ଥିକ ପରିସ୍ଥିତି ବର୍ତ୍ତମାନ ଭଳି ନଥିଲା ଏବଂ ମନୋରଞ୍ଜନର ସାଧନ ବି ବହୁତ ନଥିଲା । ଧନୀ-ଗରୀବ ଦୁହିଁଙ୍କ ପାଇଁ ମନୋରଞ୍ଜନର ସାଧନ ପ୍ରାୟ ଏକା ଥିଲା କହିଲେ ଭୁଲ ହେବ ନାହିଁ । ଯାହା ପାଖରେ ବହୁତ ଧନ ରହୁଥିଲା ସେ ଟିକିଏ ଅଧିକା ଉପଭୋଗ କରୁଥିଲା । 
କିନ୍ତୁ ଖରାପ ଓ ମାଟି ରାସ୍ତାଘାଟ ହେତୁ ଦୂରସ୍ଥାନକୁ ଯିବା ସହଜ ନଥିଲା । ଏହା ସହିତ ଯାତ୍ରା ସକାଶେ ଗାଡ଼ିମଟର ଭଳି ଭଲ ସାଧନ ତଥା ଖବର ଆଦାନପ୍ରଦାନର ସାଧନ ସହଜ ନଥିବା ହେତୁ ଏହି ଭୌତିକ ଆନନ୍ଦ ଓ ମନୋରଞ୍ଜନ ସାଧାରଣତ ଗାଁ ଭିତରେ ହିଁ ସୀମିତ ରହୁଥିଲା । 

ପୂରାତନ ସମୟରେ ଆଜିର ଭଳି ବିଦେଶ ଭ୍ରମଣ, ଦାମୀ ମୋଟରକାର,ଏ.ସି, ଟି.ଭି, ଫ୍ରିଜ, ଦାମୀ ଘରୋଇ ଉପକରଣ, ଉଡାଜାହାଜ ଯାତ୍ରା, ଦେଶବିଦେଶରେ ନାଇଟ ଲାଇଫ (Night Life), ଦାମୀ ମଦ, ଉଦ୍ଧତ ଜୀବନଶୈଳୀ, ଦାମୀ ଯୌନସୁଖ ଇତ୍ୟାଦି ମିଳିବା ସହଜ ନଥିଲା । ଯଦିଓ ପୂର୍ବରୁ ବି ମଦିରାଳୟ, ଗଣିକାଳୟ, ଦୂର ରାଜ୍ଯ ଓ ସ୍ଥାନକୁ ଭ୍ରମଣ, ନାଚଗୀତ, ନାଟକ ଇତ୍ୟାଦି ଥିଲା । ପୂର୍ବରୁ ଏକାଧିକ ପତ୍ନୀ ରଖିବାର ସାମାଜିକ ସ୍ଵିକୃତି ବି ଥିଲା । ପ୍ରେମ ବି ଥିଲା ଓ ପରକୀୟା ପ୍ରୀତି ବି ଥିଲା । କିଛି ଉଚ୍ଚ ଜାତି ପୁରୁଷଙ୍କ ବିବାହ ବାହାରେ ବି ଅନ୍ଯ ଜାତିର ମହିଳାଙ୍କ ସହ ସଂପର୍କ ରହୁଥିଲା ତଥା ସନ୍ତାନସନ୍ତତି ବି ଥିଲେ । 

ମନୁଷ୍ଯ ସାମାଜିକ ପ୍ରାଣୀ ଏବଂ ସମାଜିକ ସାହାଯ୍ଯ ବିନା ସେ ବଞ୍ଚିପାରିବନି । ଛୁଆଟିଏ ସକାଶେ ପରିବାର କି ପିତାମାତାଙ୍କ ଲାଳନପାଳନ ଅପରିହାର୍ଯ୍ଯ ହୋଇଥାଏ। ବୟସ୍କ, ଦୁର୍ବଳ ଓ ଅସହାୟ ଲୋକଙ୍କୁ ବି ସମାଜର ସାହାଯ୍ଯ ଅପରିହାର୍ଯ୍ଯ ହୋଇଥାଏ । ସମାଜ ହିଁ ମନୁଷ୍ଯର ସୁରକ୍ଷା କବଚ ଭଳି କାର୍ଯ୍ୟକରିଥାଏ । ସମାଜ ସୃଷ୍ଟି ଫଳରେ ହିଁ ମନୁଷ୍ଯ ପ୍ରାକୃତିକ ବିପର୍ଯ୍ୟୟ, ହିଂସ୍ର ଓ ବିପଦପୂର୍ଣ୍ଣ ପ୍ରାଣୀ ତଥା ଦୁଷ୍ଟ-ଭ୍ରଷ୍ଟ ଓ କ୍ଷମତାଲୋଭୀ ଲୋକଙ୍କ ଆକ୍ରମଣରୁ ନିଜକୁ ରକ୍ଷା କରିପାରିଛି । ସମାଜର ସାମୂହିକ ଉଦ୍ୟମ ଫଳରେ ମାନବସମାଜ ଆଜି ବିଜ୍ଞାନ, ବୈଷୟିକଜ୍ଞାନ, ଯାତାୟତ ଭିତ୍ତିଭୂମି, ଅର୍ଥନୀତି ଭଳି ସମସ୍ତ କ୍ଷେତ୍ରରେ ଆଶାତୀତ ଉନ୍ନତି ଓ ପ୍ରଗତି କରିପାରିଛି । 

ସମାଜ ସଦା ପରିବର୍ତ୍ତନଶୀଳ। ଆବହମାନ କାଳରୁ ସଂସାର ପରିବର୍ତ୍ତନ ହୋଇଚାଲିଛି । ହଜାର ହଜାର ବର୍ଷ ପୂର୍ବେ ଯାହା ଥିଲା ଆଜି ଅନେକ କିଛି ନାହିଁ । ଆଜି ଯାହା ଅଛି ତାହା ବି ଭବିଷ୍ୟତରେ ନଥିବ । ପୂର୍ବରୁ ବି ଭଲ ଓ ମନ୍ଦ ଥିଲା । ସେତେବେଳେ ବି ରାକ୍ଷସ ଓ ମହାପୁରୁଷ ବି ଥିଲେ। ପୂର୍ବକାଳରେ ବି ସ୍ବାର୍ଥ ଥିଲା, ପାରିବାରିକ କନ୍ଦଳ ଥିଲା, ଯୁଦ୍ଧ ବି ଥିଲା । ସେତେବେଳେ ବି ଦେବ ପ୍ରତିମ ଲୋକ ଓ ମହାତ୍ମା ଥିଲେ ତଥା ସୁଶାସକ ବି ଥିଲେ । ଏବେ ବି ସଂସାରରେ ଭଲ ଓ ମନ୍ଦ ଲୋକ ଅଛନ୍ତି। ବେଦ- ଉପନିଷଦ- ପୁରାଣ- ରାମାୟଣ- ମହାଭାରତ ଭଳି ଉଚ୍ଚକୋଟୀର ରଚନା, ସାରା ବିଶ୍ବରେ ଅନେକ ଦାର୍ଶନିକ ତତ୍ତ୍ବ ସମ୍ବନ୍ଧିତ ରଚନା, ସୁଶାସନ ଓ ଉତ୍ତମ ଜୀବନଯାପନ ସକାଶେ ଅନେକ ଉତ୍କୃଷ୍ଟ ରଚନା, ଅଗଣିତ ଜ୍ଞାନୀ ଓ ମହାପୁରୁଷଙ୍କ ବାର୍ତ୍ତା ଥାଇ ବି ଆଜି ସବୁଠି ଦୁର୍ନୀତି, ଶୋଷଣ, ହଣାକଟା, ଯୁଦ୍ଧ ଇତ୍ୟାଦି ଘଟୁଛି।

ଏଣୁ ସାମାଜିକ ପରିବର୍ତ୍ତନରେ ଦୁଃଖି ନ ହୋଇ ଓ ତାକୁ ବିରୋଧ ନକରି ଉତ୍ତମ ପରିବର୍ତ୍ତନକୁ ଆପଣେଇ ନେବା ହିଁ ବୁଦ୍ଧିମାନର ଲକ୍ଷଣ । ଦୁନିଆ ବଦଳୁଥିବ । କାହାରି ଅନିଷ୍ଟ ଚିନ୍ତା ନକରି ଏବଂ ଯଥା ସମ୍ଭବ କାହାକୁ ଦୁଃଖ ନଦେଇ ଜୀବନପଥରେ ଚାଲୁଥିବା ହିଁ ଶ୍ରେୟସ୍କର ଓ ବୁଦ୍ଧିମତାର ପରିଚୟ । ନିଜେ ଆନନ୍ଦରେ ବଞ୍ଚିବା ସହ ନିଜର କର୍ତ୍ତବ୍ଯ ଓ ସକ୍ଷମତା ଅନୁଯାଇ ସମାଜ ପ୍ରତି କିଛି ଗଠନମୂଳକ କାର୍ଯ୍ୟ ସଂପାଦନ କରିବା ହିଁ ସର୍ବୋତ୍ତମ ଓ ଜୀବନର ମୂଳ ଲକ୍ଷ୍ୟ ହେବା ଉଚିତ । 

___________________
(ଇଂ) ବିଜୟ ଚନ୍ଦ୍ର ମିଶ୍ର 
ଆଇନଜୀବୀ,
ବ୍ରହ୍ମପୁର ( ଓଡ଼ିଶା)

Comments

Popular posts from this blog

Celebrating Teacher’s Day 2025: Honoring the Architects of Knowledge

🌱 Plant Kingdom – Bryophytes (Mosses & Liverworts) | NEET 2025 Notes

NEET 2025 – Cell: The Unit of Life | NCERT-Based Notes + Diagrams