ହୃଦୟର ନୈବେଦ୍ୟ
🪷 ହୃଦୟର ନୈବେଦ୍ୟ 🪷
*********************
(( ବେଣୁଧର ସୂତାର ))
ବିଶ୍ଵାସ ନେତ୍ରରେ ବିଶ୍ଵ
ଲାଗେ ଭାରି ସୁନ୍ଦର
ଏ ଜଗତ ମହାତୀର୍ଥ
ପୁଣ୍ୟ ମୟ ମନ୍ଦିର ।।
ଜୀବନର ପ୍ରତିକ୍ଷଣେ
ବିଶ୍ଵାସର ସ୍ପନ୍ଦନ
ଶ୍ରଦ୍ଧା ସିନା ପୂଜା ଫୁଲ
ଭକ୍ତି ବାସ ଚନ୍ଦନ ।।
ମମତାର ଉପହାର
ପ୍ରେମ ପ୍ରୀତି ସୁରଭି
ସତ୍ୟ ଶାନ୍ତି ମୈତ୍ରୀ ଆମ
ଜୀବନର ପୂରବୀ ।।
ଆବେଗର ଉନ୍ମାଦନା
ଚେତନାର ଚିନ୍ତନେ
ଏଜୀବନ ଲୀଳା ଖେଳା
ନୈସର୍ଗିକ ବନ୍ଧନେ ।।
ଅସରନ୍ତି କାମନାର
ରାସ୍ତା ଅଟେ ବିଷମ
ଦିବ୍ୟ ଚେତନାରେ ମିଳେ
ଅନୁଚିନ୍ତା ଅସୀମ ।।
ସମୟର ସୀମା ଲଙ୍ଘେ
ପ୍ରଗଳ୍ଭ ଏ ବୟସ
ଆକାଂକ୍ଷା ପ୍ରସାରୀ ମନେ
ଜାଗୃତିର ପୀୟୂଷ ।।
ସାଧନାର ପୁଣ୍ୟ ପୀଠ
ନିସର୍ଗ ଏ ଜୀବନ
ଏ ସଂସାର ରଙ୍ଗମଞ୍ଚେ
ଅମୃତର ସପନ ।।
ଜୀବନରୁ ସପନର
ଭୈ।ଗଳିକ ଦୂରତା
ସଂପର୍କର ସୁନା କ୍ଷେତ
ମାଆ ମାଟି ମମତା ।।
ମଧୁର ମମତା ଭରା
ମାତୃତ୍ଵ ର ଗାରିମା
ସର୍ବସଂହା ଶାଶ୍ଵତୀ ସେ
ବିରଳ ତା ଉପମା ।।
ଅପୂର୍ବ ଐଶ୍ଵର୍ଯ୍ୟ ମୟୀ
ସୁଷମାର କଲ୍ଲୋଳ
ଯା ବକ୍ଷରେ ପ୍ରକୃତିର
ଚାରୁ କଳା ମଞ୍ଜୁଳ ।।
ଦିବ୍ୟ ରୂପା ଦୟାମୟୀ
ମମତାର ପସରା
ଚିରକାଳ ପ୍ରାଣ ସତ୍ତା
ତା ଆଶିଷ ଆସରା ।।
ମାଆ ତୁମେ ସର୍ବସଂହା
ପ୍ରାଣ ସୁଧା ଦାୟିନୀ
ଏ ହୃଦ ନୈବେଦ୍ୟ ଘେନ
ହେ ଅନନ୍ତ ଜନନୀ ।।
*********************
କେଶଦୁରାପାଳ କେନ୍ଦୁଝର
Comments
Post a Comment